🌍 ମୁଖ୍ୟ ସମ୍ପାଦକ (SRINIBASH ROUT/9439883165)
ବିନା ଘୋଷଣାରେ ବିଦ୍ୟୁତ୍ କାଟ୍ ରାଜ୍ୟବ୍ୟାପୀ ଚାଲିଛି ।ବିଦ୍ୟୁତ୍ ବଣ୍ଟନ କମ୍ପାନୀର ମନମାନୀ ଜାରି ରହିଥିବା ଅଭିଯୋଗ ହୋଇଛି ।ଏପରିକି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରିଚାଲିଛିି ।ଫଳରେ ଅସହ୍ୟ ତାତି, ଗୁଳୁଗୁଳି ଓ ଝାଞ୍ଜିପବନ ଭିତରେ ବିଦ୍ୟୁତ୍କାଟ୍ ଯୋଗୁଁ ଲୋକେ ଡହଳବିକଳ ହେଉଛନ୍ତି ।ରାତିରେ ନା’ ବଲ୍ ଜଳୁଛି, ନା’ ପଙ୍ଖା ଘୁରୁଛି ।ଭୁବନେଶ୍ୱର ଚତୁଃପାଶ୍ୱର୍ରେ ଥିବା ଗାଁଗୁଡ଼ିକର ସ୍ଥିତି ବହୁତ ଖରାପ୍ ।ଏସବୁ ଅଞ୍ଚଳରେ ବିନା ବର୍ଷା ପବନରେ ଦିନକୁ ପ୍ରାୟ ଚାରିରୂ ପାଞ୍ଚ ଘଣ୍ଟା ବିଦ୍ୟୁତ୍ ରହୁନ ଥିବା ଜଣାପଡ଼ିଛି ।ଏସବୁସତ୍ତ୍ୱେ ଅନ୍ୟ ରାଜ୍ୟ ତୁୂଳନାରେ ରାଜ୍ୟର ଲୋକେ ଚଢ଼ା ଦରରେ ବିଦ୍ୟୁତ୍ ୟୁନିଟ୍ ପିଛା ଦେଉଥିବା ଅଭିଯୋଗ ହୋଇଛି ।ବିଜୁଳି ଭିତ୍ତିଭୂମିର ବିକାଶ ପାଇଁ ୧୯୯୬ରୁ ଆଜିଯାଏ ପ୍ରାୟ ୨୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି ।ହେଲେ ରାଜ୍ୟବାସୀ ଗୁଣାତ୍ମକ ବିଜୁଳି ସେବା ପାଇପାରୁନାହାନ୍ତି ।ଅଥଚ ଓଡ଼ିଶାରୁ କୋଇଲା କିଣି ବିଜୁଳି ଉତ୍ପାଦନ କରୁଥିବା ଦିଲ୍ଲୀ ଓ ପଞ୍ଜାବ ସାଧାରଣ ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେଉଛି ।ହେଲେ ଓଡ଼ିଶାରେ ନିରନ୍ତର ବିଜୁଳି ସହ ଚାଷୀଙ୍କୁ ଆଜିଯାଏଁ ମାଗଣା ବିଜୁଳି ମିଳିପାରିନାହିଁ ।ଏବେ ରାଜ୍ୟରେ ସରବରାହ ଜନିତ କ୍ଷତି ୨୯% ରହିଛି। ତେଣୁ ଆକଳନ ଅନୁସାରେ ବାର୍ଷିକ କ୍ଷତିପରିମାଣ ୪,୨୦୦ କୋଟି ଟଙ୍କା ହେବ ।ଏସବୁ ଖର୍ଚ୍ଚ ରାଜ୍ୟରେ ମୋଟ୍ ୯୨ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ମୁଣ୍ଡରେ ଋଣ ବୋଝ ଶୁଳ୍କ ଲଦିଦିଆଯାଇଛି ।ବିଜୁଳି କମ୍ପାନୀଙ୍କର ଅପାରଗତା ଓ ପରିଚାଳନା ଗତ ତ୍ରୁଟି ପାଇଁ ପ୍ରତିବର୍ଷ ରାଜ୍ୟବାସୀ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝ ବୋହୁଛନ୍ତି ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି ।ରିପୋର୍ଟ ଅନୁସାରେ ମନଇଚ୍ଛା କାର୍ଯ୍ୟ କରିବାରୁ ସରବରାହ ଜନିତ ଖର୍ଚ୍ଚ ବଢ଼ିଥିବା ଅଭିଯୋଗ ହୋଇଛି ।ଆକଳନ ଅନୁସାରେ ୧% ବିଦ୍ୟୁତ୍ ସରବରାହ ଜନିତ କ୍ଷତି ଯୋଗୁଁ ବାର୍ଷିକ ୧୫୩ କୋଟି ଟଙ୍କା କ୍ଷତି ହୋଇଥାଏ ।ରାଜ୍ୟ ସରକାର ୪ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥାଙ୍କୁ ୨୦୦୯-୧୦ରୁ ୨୦୨୦-୨୧ ମଧ୍ୟରେ ୧୮,୨୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ।ଏହି ଅର୍ଥରେ ଭିତ୍ତିଭୂମି ବିକାଶ ସହ କ୍ଷତି ଭରଣା ହେବା କଥା ।ହେଲେ ଉକ୍ତ ଅର୍ଥ ସଠିକ୍ ମାର୍ଗରେ ଖର୍ଚ୍ଚ ହୋଇଛି କି ନାହିଁ ତାହା ସ୍ଫଷ୍ଟ ହୋଇନାହିଁ ।ତେବେ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ଚାହିଦା ତୁଳନାରେ ବଳକା ରହିଛି ।ବିଧାନସଭାର ବଜେଟ୍ ଅଧିବେଶନ କାଳରେ ଏନେଇ ତୁମ୍ବିତୋଫାନ କରିଥିଲେ ବିରୋଧୀ ।ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ‘ଓଡ଼ିଶାରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ଘରୋଇ କମ୍ପାନୀ ବେଆଇନ୍ ଭାବେ ଉପଭୋକ୍ତାଙ୍କ ଠାରୁ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରୁଛି ।ଚୁକ୍ତିରେ ଏହା ଉଲ୍ଲେଖ ନଥିବାବେଳେ କମ୍ପାନୀ ଗରିବ ଲୋକଙ୍କ ଉପରେ ଜୁଲମ ଚଳାଇଛି ।ଅନ୍ୟପକ୍ଷରେ ବିଦ୍ୟୁତ୍ ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଯେ ୧ ଏପ୍ରିଲ୍ ୧୯୯୬ରେ ପ୍ରଥମ ବିଦ୍ୟୁତ୍ ସଂସ୍କାର ଆଣିଥିବା ଓଡ଼ିଶାରେ ବିଦ୍ୟୁତ୍ କାଟ୍ ଆଦୌ ହେବା କଥାନୁହେଁ ।କାରଣ ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ ।ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ରିହାତି ମିଳିବା ଦରକାର ।ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ସାଧାରଣ ଜନତାଙ୍କ ଦାବିକୁ ଗୁରୁତ୍ୱ ନ ଦେବା କ୍ଷୋଭର ବିଷୟ ।ଫଳରେ ରାଜ୍ୟବ୍ୟାପୀ ଅସନ୍ତୋଷ ତୀବ୍ର ହେବାରେ ଲାଗିବା ସ୍ୱାଭାବିକ ।